ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ସିନ୍ଦୁରରେ ସଜେ ମାଆଙ୍କ ବିଦାୟ ବେଳା,ପୂଜାମଣ୍ଡପରେ ବଙ୍ଗୀୟ ମହିଳାଙ୍କ ନିଆରା ‘ସିନ୍ଦୁର ଖେଳ’

News Prime Odisha | 22 Oct 2026 | 12 min read | 163 views

pozecon
News Prime Odisha
ଉମରକୋଟ ( ଏନ. ପି.ଓ ) : ଦଶହରା ଆସେ, ମାଆଙ୍କ ଆଗମନରେ ଉତ୍ସବମୁଖର ହୋଇଉଠେ ସହର । ଆଉ ଦଶମୀରେ ମାଆଙ୍କ ବିଦାୟ ବେଳେ ପରିବେଶ ହୋଇଉଠେ ଭାବପୂର୍ଣ୍ଣ । ଆନନ୍ଦର ମଧ୍ୟରେ ମିଶିଯାଏ ବିଦାୟର ବେଦନା । ଏହି ଭାବନାର ଏକ ନିଆରା ପରମ୍ପରା ହେଉଛି ‘ସିନ୍ଦୁର ଖେଳ’ । ଉମରକୋଟର ବିଭିନ୍ନ ପୂଜାମଣ୍ଡପରେ ଦଶହରାର ଶେଷ ଦିନରେ ବଙ୍ଗୀୟ ମହିଳାମାନେ ଏହି ପରମ୍ପରାକୁ ରୀତିନୀତି ଅନୁସାରେ ପାଳନ କରି ଆସୁଛନ୍ତି । ମାଆ ଦଶଭୁଜାଙ୍କୁ ସିନ୍ଦୁର ଅର୍ପଣ କରି ଆଶୀର୍ବାଦ ଲୋଡ଼ିବା ପରେ ମାଆଙ୍କ ଠାରେ ଅର୍ପିତ ସେହି ସିନ୍ଦୁରକୁ ନେଇ ମହିଳାମାନେ ପରସ୍ପରକୁ ଲଗାଇଥାନ୍ତି । ହର୍ଷ ଉଲ୍ଲାସ ମଧ୍ୟରେ ଚାଲେ ସିନ୍ଦୁର ଖେଳ। ମଥାରେ ସିନ୍ଦୁର, ହାତରେ ମେହେନ୍ଦି, ପାଦରେ ଗାଢ଼ ରଙ୍ଗର ଅଳତା ଓ ଧଳା ଶାଢ଼ୀରେ ସଜିଥିବା ମହିଳାଙ୍କ ଉପସ୍ଥିତି ପୂଜାମଣ୍ଡପକୁ ଦେଇଥାଏ ଏକ ଭିନ୍ନ ଆକର୍ଷଣ । ସିନ୍ଦୁର ଖେଳ କେବଳ ଉତ୍ସବର ଏକ ଅଂଶ ନୁହେଁ । ଏହା ପଛରେ ରହିଛି ଭକ୍ତି ଓ ଭାବନାର ଗଭୀର ସମ୍ପର୍କ । ମାଆଙ୍କୁ ସିନ୍ଦୁର ଦେବା ବେଳେ ମହିଳାମାନେ ମାଆଙ୍କୁ କହିଥାନ୍ତି ‘ଏଇ ବର୍ଷ ସଅଳ ଯାଅ, ଆସନ୍ତା ବର୍ଷ ଶୀଘ୍ର ଆସ' ମାଆଙ୍କ ବିଦାୟକୁ ଯେତେ ଶୀଘ୍ର ଗ୍ରହଣ କରିବାକୁ ପଡ଼େ, ସେତେ ଶୀଘ୍ର ତାଙ୍କ ପୁନରାଗମନର ଆଶା ମଧ୍ୟ ମନରେ ବାନ୍ଧିଥାନ୍ତି ଭକ୍ତମାନେ । ବଙ୍ଗୀୟ ପରମ୍ପରାରେ ପ୍ରଚଳିତ ଏହି ‘ସିନ୍ଦୁର ଖେଳ’ ଉମରକୋଟର ବଙ୍ଗୀୟ ସମାଜରେ ଆଜି ମଧ୍ୟ ଜୀବନ୍ତ। ଦଶହରା ଦିନ ମହିଳାମାନେ ଏକତ୍ରିତ ହୋଇ ମାଆଙ୍କ ପୂଜାରେ ସାମିଲ ହେବା ସହ ପୁରୁଣା ପରମ୍ପରାକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇ ଆସୁଛନ୍ତି । ପରମ୍ପରାରେ ସିନ୍ଦୁରକୁ ସୌଭାଗ୍ୟ ଓ ମଙ୍ଗଳର ପ୍ରତୀକ ଭାବେ ଗ୍ରହଣ କରାଯାଏ । ତେଣୁ ମାଆଙ୍କ ପୀଠରେ ସିନ୍ଦୁର ଅର୍ପଣ କରି ମହିଳାମାନେ ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି । ପରସ୍ପରକୁ ସିନ୍ଦୁର ଲଗାଇବା ମାଧ୍ୟମରେ ମଧ୍ୟ ମଙ୍ଗଳ ଓ ଶୁଭକାମନା ଜଣାଇଥାନ୍ତି । ଏହି ସମୟରେ ପୂଜାମଣ୍ଡପରେ ଶୁଣାଯାଏ ଶଙ୍ଖଧ୍ୱନି, ଢୋଲର ତାଳ ଓ ଉଲୁଧ୍ୱନି । ମହିଳାମାନଙ୍କ ହର୍ଷୋଲ୍ଲାସରେ କିଛି ସମୟ ପାଇଁ ମଣ୍ଡପ ପରିବେଶ ହୋଇଉଠେ ଉତ୍ସବମୁଖର । ହେଲେ ଏହି ଆନନ୍ଦର ଆଢ଼ୁଆଳରେ ଲୁଚିଥାଏ ମାଆଙ୍କ ବିଦାୟର କୋହ । ମାଆଙ୍କ ବିସର୍ଜନ ସମୟ ପାଖେଇ ଆସିଲେ ଆନନ୍ଦର ପରିବେଶ ଧୀରେ ଧୀରେ ଭାବବିହ୍ୱଳ ହୋଇଯାଏ । ଯେଉଁ ମାଆଙ୍କୁ କିଛି ଦିନ ଧରି ଭକ୍ତି ଓ ଶ୍ରଦ୍ଧାରେ ପୂଜା କରାଯାଇଥିଲା, ତାଙ୍କୁ ଆଜି ବିଦାୟ ଦେବାକୁ ପଡ଼େ । ମାଆଙ୍କ ମୂର୍ତ୍ତି ଆଖି ଆଗରୁ ଦୂରେଇଯାଉଥିବା ବେଳେ ଅନେକଙ୍କ ଆଖିରେ ଦେଖାଯାଏ ଲୁହ । ତଥାପି ଏହି ବିଦାୟରେ ରହିଥାଏ ଏକ ନୂଆ ଆଶା ମାଆ ପୁଣି ଆସିବେ । ଧର୍ମର ସ୍ଥାପନା ଓ ଅଧର୍ମର ବିନାଶର ପ୍ରତୀକ ମାଆ ଦଶଭୁଜାଙ୍କ ଆଗମନକୁ ଅପେକ୍ଷା କରି ରହିଥାନ୍ତି ଭକ୍ତମାନେ । ଗୋଟିଏ ବର୍ଷର ପ୍ରତୀକ୍ଷା ଶେଷ ହେବା ପରେ ଯେପରି ମାଆ ଆସିଥିଲେ, ସେହିପରି ଆଉ ଗୋଟିଏ ବର୍ଷର ପ୍ରତୀକ୍ଷା ଆରମ୍ଭ ହୁଏ ବିସର୍ଜନ ସହ । ଉମରକୋଟର ବଙ୍ଗୀୟ ସମାଜର ଏହି ନିଆରା ପରମ୍ପରା ତେଣୁ କେବଳ ସିନ୍ଦୁର ଖେଳ ନୁହେଁ; ଏହା ମାଆଙ୍କ ପ୍ରତି ଅଗାଢ଼ ଆସ୍ଥା, ଭକ୍ତି, ମଙ୍ଗଳ କାମନା ଓ ପୁନରାଗମନର ଅପେକ୍ଷାର ଏକ ଭାବପୂର୍ଣ୍ଣ ପ୍ରକାଶ । ସିନ୍ଦୁରର ଲାଲ ରଙ୍ଗରେ ମାଆଙ୍କୁ ବିଦାୟ, ଆଖିର ଲୁହରେ ବିରହ; ଆଉ ହୃଦୟରେ ଗୋଟିଏ ପ୍ରାର୍ଥନା ମାଆ, ଆସନ୍ତା ବର୍ଷ ଶୀଘ୍ର ଆସ ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...