ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ
sumanta swain | 03 Nov 2026 | 10 min read | 51 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ଓଡ଼ିଆ ନାଟ୍ୟ ନିର୍ଦ୍ଦେଶନା ଓ ଅଭିନୟ ଜଗତରେ ନିଜର ସ୍ୱତନ୍ତ୍ର ଅଭିନୟ ଶୈଳୀ,ଚରିତ୍ର ପ୍ରତି ନିଷ୍ଠା ଏବଂ କଳା ପ୍ରତି ଅସୀମ ଭଲପାଇବା ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା ପାରାଦୀପ ବନ୍ଦରରେ ଅଦ୍ୟାବଧି ଆସିଷ୍ଟାଣ୍ଟ ଟ୍ରାଫିକ ମ୍ୟାନେଜର ଭାବେ କାର୍ଯ୍ୟରତ ଶ୍ରୀମନ୍ ନାରାୟଣ ମିଶ୍ର ଓଡ଼ିଆ କଳା ଜଗତ ପାଇଁ ଆଉ ଏକ ଗୌରବମୟ ସଫଳତା ହାସଲ କରିଛନ୍ତି। ତାଙ୍କୁ ଚଳିତ ବର୍ଷର ଓଲିଉଡ୍ ନ୍ୟୁଜ୍ ଆୱାର୍ଡ–୨୦୨୬ରେ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ଓଲିଉଡ୍ ନ୍ୟୁଜ୍ ପକ୍ଷରୁ ଅକ୍ଟୋବର ମାସରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ପ୍ରଥମ ବାର୍ଷିକ ପୁରସ୍କାର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଲିଉଡ଼ ଜଗତର ଜଣାଶୁଣା କଳାକାର ଅଶ୍ରୁ ମୋହନ ମହାନ୍ତି, ଲାଲା ବିରେନ ରାୟ, ଓଡିଶା ଅଲମ୍ପିକ ଆସୋସିଏସନ ର ସଭାପତି ସମୀର ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ lତେବେ ଓଡ଼ିଆ ମନୋରଞ୍ଜନ ଜଗତରେ ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବା ଏବଂ କଳା, ସାହିତ୍ୟ, ନାଟକ, ଯାତ୍ରା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିତ୍ୱମାନଙ୍କୁ ସ୍ୱୀକୃତି ଦେବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପୁରସ୍କାର ପାଇଁ ଏକ ଉଚ୍ଚସ୍ତରୀୟ ଜୁରି କମିଟି ଶ୍ରୀ ମିଶ୍ରଙ୍କ ନାମ ସୁପାରିଶ କରିଥିଲେ। ତାଙ୍କର ଅଭିନୟ ପ୍ରତିଭା, ନାଟକ ପ୍ରତି ଆଗ୍ରହ, ସୃଜନଶୀଳ ଚିନ୍ତାଧାରା ଓ କଳା କ୍ଷେତ୍ର ପ୍ରତି ସମର୍ପଣକୁ ଏହି ସମ୍ମାନର ଆଧାର ଭାବେ ବିବେଚନା କରାଯାଇଛି। ଏହି ସମ୍ମାନ ପାଇବା ପରେ ଶ୍ରୀମନ୍ ମିଶ୍ର ଓଲିଉଡ୍ ନ୍ୟୁଜ୍ର ପ୍ରକାଶକ ପ୍ରସନ୍ନ ପୃଷ୍ଟି, ଜୁରି କମିଟିର ସମସ୍ତ ସଦସ୍ୟ, ସହକଳାକାର, ନିର୍ଦ୍ଦେଶକ, ଶୁଭେଚ୍ଛୁ ଓ ତାଙ୍କୁ ଭଲପାଉଥିବା ସମସ୍ତଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଏହି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହ ଓ ଦାୟିତ୍ୱବୋଧ ସହିତ କଳାକ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ସମ୍ମାନ ତାଙ୍କର ବ୍ୟକ୍ତିଗତ ଗୌରବ ସହିତ ଓଡ଼ିଆ ନାଟ୍ୟ ଓ ସାଂସ୍କୃତିକ ଜଗତ ପାଇଁ ମଧ୍ୟ ଏକ ଆନନ୍ଦଦାୟକ ଉପଲବ୍ଧି। ଶ୍ରୀ ମିଶ୍ର କ୍ୟାନମାସ ଏକ ସୁନାମଧନ୍ୟ ନାଟ୍ୟ ସଂସ୍ଥା ର ନିର୍ଦ୍ଦେଶକ ଭାବରେ ପାରାଦ୍ୱୀପ କୁ ଭାରତ ନାଟ୍ୟ ମାନଚିତ୍ରରେ ସ୍ଥାନିତ କରିପାରିଛନ୍ତି । ଏହି ସଫଳତାରେ କଳାପ୍ରେମୀ, ସହକର୍ମୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଆଗାମୀ ଦିନରେ ସେ ଅଧିକ ଉତ୍କୃଷ୍ଟ ଅଭିନୟ ମାଧ୍ୟମରେ ଓଡ଼ିଆ କଳା ଜଗତକୁ ସମୃଦ୍ଧ କରିବେ ବୋଲି ସମସ୍ତଙ୍କ ଆଶା ଓ ଶୁଭକାମନା ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

