ବାତ୍ୟା ‘ଅର୍ଣ୍ଣବ’ ମୁକାବିଲାରେ ଜୀରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା; ୧୭ ଜିଲ୍ଲା ପ୍ରଭାବିତ, ୪୩ ହଜାରରୁ ଊର୍ଦ୍ଧ୍ୱ ଲୋକ ସୁରକ୍ଷିତ ସ୍ଥାନାନ୍ତର
sumanta swain | 28 Oct 2026 | 11 min read | 70 views
News Prime Odisha
ଭୁବନେଶ୍ୱର ( ଏନ. ପି.ଓ ) : ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଏହାର ପ୍ରଭାବକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଓ ପାଣିପାଗ କେନ୍ଦ୍ରର ରିପୋର୍ଟକୁ ଆଧାର କରି ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ସରକାରଙ୍କ ପକ୍ଷରୁ ଜୀରୋ କାଜୁଆଲ୍ଟି ବା ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରାଯାଇଥିବା କୁହାଯାଇଛି ।ପସୂଚନା ଅନୁଯାୟୀ, ବାତ୍ୟାର ପ୍ରଭାବରେ ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏଥିମଧ୍ୟରୁ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିଥିବା ଜଣାପଡ଼ିଛି । ବିଶେଷକରି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଓ ବିପଦପୂର୍ଣ୍ଣ ସ୍ଥାନରେ ରହୁଥିବା ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାରୁ ବଡ଼ଧରଣର ବିପର୍ଯ୍ୟୟକୁ ଏଡ଼ାଇବା ସମ୍ଭବ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବାତ୍ୟା ମୁକାବିଲା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ୧୯,୧୪୩ଟି ବୋଟ୍ ଏବଂ ଓଡ୍ରାଫ୍ (ODRAF), ଏନ୍ଡିଆର୍ଏଫ୍ (NDRF) ଓ ଅଗ୍ନିଶମ ବାହିନୀର ୩୧୩ଟି ରେସ୍ପନ୍ସ ଟିମ୍ ନିୟୋଜିତ ହୋଇଥିଲେ । ଏହାସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ୨,୦୩୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିଲା । ସେଥିମଧ୍ୟରୁ ୬୩୪ଟି ଆଶ୍ରୟସ୍ଥଳରେ ୪୩,୮୨୭ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।
ବାତ୍ୟା ସମୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଥିଲା। ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହି ସମୟରେ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମଗ୍ରହଣ କରିଥିବା ସୂଚନା ଦିଆଯାଇଛି। ଏହାଦ୍ୱାରା ବାତ୍ୟା ସମୟରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସୁରକ୍ଷା ନିଶ୍ଚିତ କରିବା ଦିଗରେ ପ୍ରଶାସନର ପ୍ରସ୍ତୁତି ପ୍ରତିଫଳିତ ହୋଇଛି ।
ଅନ୍ୟପକ୍ଷରେ, ବାତ୍ୟାଜନିତ ସ୍ଥିତି ଉପରେ ନଜର ରଖିବା ଏବଂ ଜିଲ୍ଲାସ୍ତରରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସମନ୍ୱୟ ପାଇଁ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏଥିସହ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ରହି ସ୍ଥିତିର ତଦାରଖ କରିଥିଲେ । ପ୍ରଶାସନିକ ତତ୍ପରତା ଓ ଆଗୁଆ ପ୍ରସ୍ତୁତି ମାଧ୍ୟମରେ ବାତ୍ୟା ମୁକାବିଲାକୁ ଅଧିକ ସୁସଂଗଠିତ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବାତ୍ୟା ପରବର୍ତ୍ତୀ ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନର ନଜର ରହିଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ, କ୍ଷୟକ୍ଷତିର ଆକଳନ ଓ ସାଧାରଣ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ବାତ୍ୟା ମୁକାବିଲାରେ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲକୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ଉଦ୍ଧାର ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦର୍ଶାଯାଇଛି ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

