ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପର ସମୀକ୍ଷା କଲେ ପାରାଦୀପ ବନ୍ଦର ଅଧ୍ୟକ୍ଷ
sumanta swain | 18 Oct 2026 | 6 min read | 129 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ, ଆଜି ୱେଷ୍ଟର୍ଣ୍ଣ ଡକ୍ ସ୍ଥିତ ଜିନ୍ଦଲ ପାରାଦୀପ ପୋର୍ଟ ଲିମିଟେଡ୍ (ଜେପିପିଏଲ) ବର୍ଥ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି, ଭିତ୍ତିଭୂମି ବିକାଶ ଓ କାର୍ଯ୍ୟକ୍ଷମତା ସମୀକ୍ଷା କରିଥିଲେ।ଏହି ଅବସରରେ ସେ ପାରାଦୀପ ବନ୍ଦର ଅଧିକାରୀ ଏବଂ ଜେପିପିଏଲର ଡେପୁଟି ସିଇଓ ସନ୍ଦୀପ ଜୈସୱାଲଙ୍କ ସହ ଆଲୋଚନା କରିଥିଲେ। ବର୍ଥର ୧୦୦ ପ୍ରତିଶତ ଯାନ୍ତ୍ରିକୀକରଣ, ପଣ୍ୟ ପରିଚାଳନା ଦକ୍ଷତା ବୃଦ୍ଧି ଏବଂ ରେଳ ଓ ସଡ଼କ ସଂଯୋଗ ମାଧ୍ୟମରେ ପଣ୍ୟ ପରିବହନକୁ ସୁଗମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବାର୍ଷିକ ୧୨.୫ ଏମ୍.ଏମ୍.ଟି.ପି.ଏ କ୍ଷମତାବିଶିଷ୍ଟ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟାରମ୍ଭ ଏବଂ ସୁଗମ ପରିଚାଳନାକୁ ସମୀକ୍ଷାରେ ପ୍ରାଥମିକତା ଦିଆଯାଇଥିଲା। ବିଓଟି ମଡେଲ୍ରେ ବିକଶିତ ହେଉଥିବା ଏହି ପ୍ରକଳ୍ପର ସମୁଦାୟ ଶୁଷ୍କ ବଲ୍କ କାର୍ଗୋ ପରିଚାଳନା କ୍ଷମତା ବାର୍ଷିକ ୨୫ ଏମ୍.ଏମ୍.ଟି.ପି.ଏ । ଗଭୀର ଜଳବିଶିଷ୍ଟ ବୃହତ୍ କେପ୍ସାଇଜ୍ ଜାହାଜର ସଫଳ ବର୍ଥିଂକୁ ଅଧ୍ୟକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଅଭିହିତ କରିଥିଲେ। ଏଥିସହ ସୁରକ୍ଷା ମାନଦଣ୍ଡର ଅନୁପାଳନ, ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଦକ୍ଷ ବହୁମାଧ୍ୟମ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ୱେଷ୍ଟର୍ଣ୍ଣ ଡକ୍ର ବିକାଶ ପାରାଦୀପ ବନ୍ଦରର ପଣ୍ୟ ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ସହ ଦେଶର ନୌବାଣିଜ୍ୟ ଓ ଅର୍ଥନୈତିକ ପ୍ରଗତିକୁ ନୂତନ ଗତି ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

