ପୋଲିସ୍-ନାଗରିକ ପରିଷଦ ବୈଠକ : ତାରିଣିଗଡାରେ ଭଡାଟିଆ ଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପୋଲିସ ର ନିର୍ଦ୍ଦେଶ
sumanta swain | 04 Oct 2026 | 10 min read | 40 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ତାରିଣୀଗଡ଼ା ଅଞ୍ଚଳର ଆଇନ-ଶୃଙ୍ଖଳା, ଜନସୁରକ୍ଷା ଓ ବିଭିନ୍ନ ସ୍ଥାନୀୟ ସମସ୍ୟା ସମ୍ପର୍କରେ ବିଜୟଚନ୍ଦ୍ରପୁର ନାଗରିକ ପରିଷଦ ଓ ପାରାଦୀପ ଆଦର୍ଶ ଥାନା ପୋଲିସ୍ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟା ୭ଟାରେ ନାଗରିକ ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ନାଗରିକ ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦୀ, ସମ୍ପାଦକ ଆଭାସ ଚନ୍ଦ୍ର ଚୌଧୁରୀ, ପୂଜା କମିଟିର ମୁଖ୍ୟ ମଳୟ କୁମାର ବିଶ୍ୱାଳ, ସହକାରୀ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା, ବିକାଶ କୁମାର ସାହୁ, ଯୁଗ୍ମ ସମ୍ପାଦକ ଧରଣୀଧର ଦାଶ, ଉପସଭାପତି ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ରାସ୍ତା ଅବରୋଧ, ସର୍ବସାଧାରଣ ରାସ୍ତା ଉପରେ ଗାଡ଼ି ପାର୍କିଂ ଓ ଯାତାୟାତରେ ବାଧା ସୃଷ୍ଟି ନକରିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଥିଲା l ନିୟମ ଉଲ୍ଲଂଘନ ହେଲେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ଡ଼ିଏସପି ରବିନ୍ଦ୍ର କୁମାର ପାତ୍ର ଓ ଆଦର୍ଶ ଥାନା ଅଧିକାରିଣୀ ବବିତା ଦେହୁରୀ ସୂଚନା ଦେଇଥିଲେ l ବିଜୟଚନ୍ଦ୍ରପୁର ଏକ ପ୍ରମୁଖ ଜନବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ବହୁ ସଂଖ୍ୟକ ଲୋକ ଭଡ଼ା ଘରେ ରହୁଛନ୍ତି l ଏହି ପରିପ୍ରେକ୍ଷୀରେ ସମସ୍ତ ଗୃହମାଲିକ ନିଜ ଭଡ଼ାଟିଆଙ୍କ ନାମ, ଠିକଣା, ଆଧାର କାର୍ଡ ସମେତ ଆବଶ୍ୟକୀୟ ପରିଚୟପତ୍ର ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରି ଖୁବଶୀଘ୍ର ସ୍ଥାନୀୟ ଥାନାରେ ଦାଖଲ କରିବାକୁ ଡ଼ିଏସପି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ l ଏହା ଅପରାଧ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହେବ ବୋଲି ସେ କହିଥିଲେ l ଅଞ୍ଚଳରେ ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପୋଲିସ୍ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୂଚନା ଓ ସତର୍କତା ପ୍ରଚାର କରାଯିବ ବୋଲି ସେ ଜଣାଇଥିଲେ l କୌଣସି ସନ୍ଦେହଜନକ କିମ୍ବା ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ପୋଲିସ୍କୁ ଜଣାଇବାକୁ ଅଞ୍ଚଳବାସୀଙ୍କୁ ଆହ୍ୱାନ କରାଯାଇଥିଲା l ବୈଠକରେ ପୋଲିସ୍ ପ୍ରଶାସନ ପକ୍ଷରୁ ବିଜୟଚନ୍ଦ୍ରପୁର ନାଗରିକ ପରିଷଦର ଜନହିତକର କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା l ଅଞ୍ଚଳରେ ଭାଇଚାରା ଓ ସାମାଜିକ ସଦଦ୍ଭାବର ବାତାବରଣ ବଜାୟ ରଖିବା ପାଇଁ ପୋଲିସ୍ ପ୍ରଶାସନ ଓ ନାଗରିକ ପରିଷଦ ମଧ୍ୟରେ ସମନ୍ୱୟ ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା l ସୂଚନାଥାଉକି ବିଭିନ୍ନ ଅପରାଧିକ ଘଟଣାରେ କିଛି ଭଡାଟିଆ ମାନଙ୍କ ସଂଶ୍ଲିଷ୍ଟ ରହିଥିବା ଘଟଣା ଦେଖିବାକୁ ମିଳିଥିବା ବେଳେ ଥାନା ମାନଙ୍କରେ ସେମାନଙ୍କର ବିବରଣୀ ଉପଲବ୍ଧ ନଥିବାରୁ ଅପରାଧୀ ଙ୍କୁ ଧରିବାରେ ପୋଲିସ ଅସୁବିଧାର ସମ୍ମୁଖୀନ ହେଉଥିଲେ l ତେବେ ଏହାକୁ ନେଇ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ସମସ୍ତ ଘର ମାଲିକ ମାନେ ଭଡାଟିଆ ଙ୍କ ସମୁର୍ଣ୍ଣ ବିବରଣୀ ସ୍ଥାନୀୟ ଥାନାରେ ଅବଗତ କରିବା ନେଇ ସ୍ପଷ୍ଟ କରିଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

