ସତର୍କତା ସଚେତନତା ସପ୍ତାହ ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପଦଯାତ୍ରା, ସତର୍କତା ରଥ ଓ ପଥପ୍ରାନ୍ତ ନାଟକ ଆୟୋଜିତ
sumanta swain | 27 Oct 2026 | 7 min read | 63 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ସଚ୍ଚୋଟତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ‘ସଚ୍ଚୋଟତା ପାଇଁ ପଦଯାତ୍ରା’, ସତର୍କତା ରଥ ଓ ପଥପ୍ରାନ୍ତ ନାଟକ ଭଳି ବିଭିନ୍ନ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ଓ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ଆର୍. ଏନ୍. ଅବନିକାନ୍ତ ପରିଡ଼ାଙ୍କ ଭିଡିଓ ବାର୍ତ୍ତାକୁ ନେଇ ସତର୍କତା ରଥ ସହ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ପଦଯାତ୍ରା ପାରାଦୀପ ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ଅଫିସର୍ସ କ୍ଲବ୍ ଓ ଟାଉନସିପ୍ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ପିପିଏର ଅଧିକାରୀ ଓ କର୍ମଚାରୀ, ସିଆଇଏସ୍ଏଫ୍ ଯବାନ, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ ।
ପଦଯାତ୍ରାରେ ସାମିଲ ହୋଇ ସମସ୍ତେ ନୈତିକ ଆଚରଣ, ସ୍ୱଚ୍ଛତା ଏବଂ ଦୁର୍ନୀତି ବିରୋଧୀ ଲଢ଼େଇରେ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରଚାର କରିଥିଲେ । ଏହି ଜନସଚେତନତା କାର୍ଯ୍ୟକ୍ରମର ଅଂଶସ୍ୱରୂପ ସାଂସ୍କୃତିକ ଅନୁଷ୍ଠାନ ‘କାନମାସ୍’ ପକ୍ଷରୁ ପ୍ରସ୍ତୁତ ପଥପ୍ରାନ୍ତ ନାଟକ ‘ଏପଟ ଦେଖ୍, ସେପଟ ଦେଖ୍’ ବସ୍ ଷ୍ଟାଣ୍ଡ୍ ନିକଟ ଏବଂ କବରଖାନା ବଜାରଠାରେ ପରିବେଷଣ କରାଯାଇଥିଲା । ଆକର୍ଷଣୀୟ ନାଟକ ମାଧ୍ୟମରେ କଳାକାରମାନେ ଦୁର୍ନୀତିର କୁପରିଣାମକୁ ସାମ୍ନାକୁ ଆଣିବା ସହ ନୈତିକ ଆଚରଣ, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତି ନିବାରଣରେ ସାମୂହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ସାମୂହିକ ଦାୟିତ୍ୱବୋଧକୁ ଉତ୍ସାହିତ କରିବା ପାଇଁ ପିପିଏ ନିରନ୍ତର ପ୍ରୟାସ ଜାରି ରଖିଛି ପାରାଦୀପ ବନ୍ଦର ପ୍ରାଧିକରଣ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

