ଉମରକୋଟରେ ‘ବିକଶିତ ଓଡ଼ିଶା ୨.୦’ର ଶୁଭାରମ୍ଭ
sumanta swain | 26 Oct 2026 | 9 min read | 147 views
News Prime Odisha
ଉମରକୋଟ ( ଏନ. ପି.ଓ ) : ଉପାନ୍ତ ଉମରକୋଟରେ ରାଜ୍ୟସ୍ତରୀୟ ବିଶାଳ କାର୍ଯ୍ୟକ୍ରମ ‘ବିକଶିତ ଓଡ଼ିଶା ୨.୦’ର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ସୋମବାର ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ରାଜ୍ୟର ବିକାଶ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି ।ମେଗା ପ୍ରଦର୍ଶନୀରେ ହସ୍ତଶିଳ୍ପ, ହସ୍ତବୁଣା ସାମଗ୍ରୀ, ଲଘୁ ଓ ମଧ୍ୟମ ଉଦ୍ୟୋଗ, ଶିଶୁ-ମାତୃ ପୁଷ୍ଟିକର ଖାଦ୍ୟ, ଦୁଗ୍ଧଜାତ ସାମଗ୍ରୀ, ବାଉଁଶ ଚାଷ ଓ ଏହା ଆଧାରିତ ରୋଜଗାର ସୁଯୋଗ ସମ୍ପର୍କରେ ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବ୍ୟାଙ୍କ, ଜୀବନ ବୀମା ନିଗମ ଓ ସରକାରୀ ସଂସ୍ଥା ନିଜ ନିଜ ଯୋଜନା ଓ ସେବା ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି । ଆଧାର ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ହାଇଦ୍ରାବାଦରୁ ଆସିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ସେବା ଯୋଗାଉଛି ।
ସାଂସଦ ଇଂ. ବଳଭଦ୍ର ମାଝୀ କହିଥିଲେ, ଯୁବ ଓ ମହିଳାଙ୍କ ପାଇଁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ସହ ସେମାନଙ୍କୁ ଉଦ୍ୟୋଗ ଓ ଆତ୍ମନିର୍ଭରତା ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ନବରଙ୍ଗପୁରର ବହୁଦିନର ରେଳ ଦାବି ଉପରେ ସେ କହିଥିଲେ ଯେ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଛି ଏବଂ ଶୀଘ୍ର ଜିଲ୍ଲାବାସୀ ରେଳ ସଂଯୋଗର ସୁବିଧା ପାଇବେ ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଅଳ୍ପ ସମୟ ମଧ୍ୟରେ ରାଜ୍ୟର ବିକାଶ ଓ ପ୍ରଗତିକୁ ଦ୍ରୁତଗତିରେ ଆଗେଇ ନିଆଯାଉଛି। ଉମରକୋଟ ଭଳି ଉପାନ୍ତ ଅଞ୍ଚଳରେ ରାଜ୍ୟସ୍ତରୀୟ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବା ଏହାର ଏକ ଉଦାହରଣ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଏସ୍ଡିସି ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର କୁଳପତି ଡ. ଅଜିତ ଷଡ଼ଙ୍ଗୀ, ବରିଷ୍ଠ ବୈଜ୍ଞାନିକ ନାଗେଶ ବାରିକ, ବିଜ୍ଞାନ ପ୍ରଚାରକ ଲକ୍ଷ୍ମୀନାରାୟଣ ବକ୍ସି ଓ ଇନସ୍ପାୟାର ଫାଉଣ୍ଡେସନର ଅଧ୍ୟକ୍ଷ ବିନୋଦ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଜଳବାୟୁ ପରିବର୍ତ୍ତନ, ଜୈବିକ କୃଷି ଓ ଆଧୁନିକ କୃଷି ପଦ୍ଧତି ଉପରେ ମଧ୍ୟ ବିଶେଷଜ୍ଞମାନେ ମତ ରଖିଥିଲେ ।
ତିନିଦିନିଆ ଏହି ଆୟୋଜନ ମାଧ୍ୟମରେ ସ୍ଥାନୀୟ ଯୁବ ଓ ମହିଳାଙ୍କୁ ନୂଆ ରୋଜଗାର ସୁଯୋଗ, ଉଦ୍ୟୋଗ ଓ ସରକାରୀ ଯୋଜନା ସହ ଯୋଡ଼ିବା ସହ ବିକାଶମୂଳକ କାର୍ଯ୍ୟକ୍ରମର ସୁଯୋଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

