ବିଭିନ୍ନ ଭାଗବତ ପ୍ରତିଷ୍ଠାନ ପକ୍ଷରୁ ଭାଗବତ ମହୋତ୍ସବ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ
sumanta swain | 28 Sep 2026 | 5 min read | 57 views
News Prime Odisha
କେନ୍ଦ୍ରାପଡ଼ା ( ଏନ. ପି.ଓ ) : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୁସୁନପୁର ଗ୍ରାମରେ ଶ୍ରୀ ବାସୁଦେବ ଭାଗବତ ପ୍ରତିଷ୍ଠାନ, କୁସୁନପୁର ପକ୍ଷରୁ ଭାଗବତ ମହୋତ୍ସବ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଅବସରରେ ସକାଳୁ ଭାଗବତ ପୋଥି ପାଠ କରାଯାଇଥିଲା । ଏଥିସହ ବିଭିନ୍ନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ସଙ୍ଗୀତ ପରିବେଷଣ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମହୋତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ଭଜନ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ କହିଥିଲେ ଯେ, ଭାଗବତ ହେଉଛି ଏକ ମହାନ ଧାର୍ମିକ ଓ ନୈତିକ ଗ୍ରନ୍ଥ, ଯାହା ଓଡ଼ିଆ ଘରେ ଘରେ ପରିଚିତ । ଭାଗବତର ଅଧ୍ୟୟନ ଓ ଏହାର ନୀତି-ଆଦର୍ଶକୁ ଜୀବନରେ ପ୍ରୟୋଗ କରିପାରିଲେ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ । ପରିଶେଷରେ ଶ୍ରୀ ବାସୁଦେବ ଭାଗବତ ପ୍ରତିଷ୍ଠାନ ପକ୍ଷରୁ ଉପସ୍ଥିତ ଭକ୍ତ ଓ ଅତିଥିମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

