ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗ ପାଇଁ ସରକାରୀ ସୁବିଧା ସମ୍ପର୍କରେ ସଚେତନତା
sumanta swain | 28 Oct 2026 | 13 min read | 122 views
News Prime Odisha
ଉମରକୋଟ ( ଏନ. ପି.ଓ ) : ଉମରକୋଟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ତାଲିମପ୍ରାପ୍ତ ଓ ଅଣତାଲିମପ୍ରାପ୍ତ ଯୁବକ-ଯୁବତୀଙ୍କୁ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ସମ୍ପର୍କରେ ସଚେତନ କରିବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ MSME ବିଭାଗ ଓ ଖଦୀ ଏବଂ ଗ୍ରାମୋଦ୍ୟୋଗ ଆୟୋଗ (KVIC) ମିଳିତ ଆନୁକୂଲ୍ୟରେ ‘ସେବା ସଂକଳ୍ପ ଖଦୀ ମହୋତ୍ସବ-୨୦୨୬’ କାର୍ଯ୍ୟକ୍ରମ ଅବସରରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା ।କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ MSME ବିକାଶ ଓ ସୁବିଧା କାର୍ଯ୍ୟାଳୟ (DFO)ର ସହକାରୀ ନିର୍ଦ୍ଦେଶକ ଶ୍ରୀ କେ. ରତନମ ଏବଂ ରାୟଗଡ଼ା ଆଞ୍ଚଳିକ କାର୍ଯ୍ୟାଳୟ, ଖଦୀ ଓ ଗ୍ରାମ୍ୟ ଶିଳ୍ପ ବିଭାଗ (KVIC)ର ସହକାରୀ ନିର୍ଦ୍ଦେଶକ ଅନୁପ କୁମାର ଭୂୟାଁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା, ଋଣ ବ୍ୟବସ୍ଥା, ସବସିଡି ଓ ସ୍ୱରୋଜଗାର ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।
ବିଶେଷକରି ଆଇଟିଆଇରେ ତାଲିମ ନେଇଥିବା ଏବଂ ବର୍ତ୍ତମାନ ତାଲିମ ନେଉଥିବା ଯୁବକ-ଯୁବତୀମାନେ କିପରି ନିଜ ଦକ୍ଷତାକୁ ଆଧାର କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ କରିପାରିବେ, ସେ ନେଇ ଆଲୋଚନା କରାଯାଇଥିଲା । ବ୍ୟାଙ୍କ ଋଣ ସହ ସରକାରୀ ରିହାତିର ବ୍ୟବସ୍ଥା ଥିବାରୁ ଯୁବପିଢ଼ି ଏହାର ସୁଯୋଗ ନେଇ ସ୍ୱାବଲମ୍ବୀ ହେବାକୁ ଅଧିକାରୀମାନେ ଆହ୍ୱାନ ଦେଇଥିଲେ ।
ଏହି ଯୋଜନାରେ ଯୋଗ୍ୟତା ଓ ବର୍ଗ ଅନୁଯାୟୀ ସରକାରୀ ରିହାତିର ବ୍ୟବସ୍ଥା ରହିଛି । ସାଧାରଣ ବର୍ଗର ଆବେଦନକାରୀଙ୍କ ପାଇଁ ୨୫ ପ୍ରତିଶତ ଏବଂ ଅନୁସୂଚିତ ଜାତି ବର୍ଗର ଆବେଦନକାରୀଙ୍କ ପାଇଁ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ଥିବା ସୂଚନା ଦିଆଯାଇଥିଲା । ଉଭୟ ବର୍ଗର ମହିଳା ଆବେଦନକାରୀଙ୍କ ପାଇଁ ମଧ୍ୟ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ଥିବା କୁହାଯାଇଥିଲା ।
ଅଣତାଲିମପ୍ରାପ୍ତ ତଥା ଅତିକମରେ ଅଷ୍ଟମ ଶ୍ରେଣୀ ଯୋଗ୍ୟତା ଥିବା ଯୁବକ-ଯୁବତୀମାନେ ମଧ୍ୟ ଅନଲାଇନ୍ ଆବେଦନ କରି ନିଜ ଦକ୍ଷତା ଅନୁଯାୟୀ ଗ୍ୟାରେଜ, ଟେଲରିଂ, କ୍ଷୁଦ୍ର ଉଦ୍ୟୋଗ ଆଦି ସ୍ଥାପନ ପାଇଁ ଋଣ ଓ ସରକାରୀ ରିହାତି ପାଇପାରିବେ ବୋଲି ଅଧିକାରୀମାନେ କହିଥିଲେ । ଏଥିସହ କୁକୁଡ଼ା, ଛେଳି, ଗାଈ, ମାଛ ଚାଷ, ମହିଳାଙ୍କ ପାଇଁ ଟେଲରିଂ, ପପ୍କର୍ଣ୍ଣ ମେସିନ୍ ଭଳି ବିଭିନ୍ନ ସେବା ଓ ଉତ୍ପାଦନଭିତ୍ତିକ ଉଦ୍ୟୋଗ ପାଇଁ ମଧ୍ୟ ସରକାରୀ ସୁବିଧା ଉପଲବ୍ଧ ଥିବା ନେଇ ସୂଚନା ଦିଆଯାଇଥିଲା ।
ଶ୍ରୀ ଭୂୟାଁ ଓ ଶ୍ରୀ ରତନମ ସେବାଭିତ୍ତିକ ଓ ଉତ୍ପାଦନଭିତ୍ତିକ ଉଦ୍ୟୋଗ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା, ଋଣ ବ୍ୟବସ୍ଥା ଓ ସରକାରୀ ରିହାତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଆଇଟିଆଇ ତାଲିମପ୍ରାପ୍ତ ଯୁବକ-ଯୁବତୀଙ୍କ ପାଇଁ ସ୍ୱରୋଜଗାର କ୍ଷେତ୍ରରେ ବିଶେଷ ଅଗ୍ରାଧିକାର ରହିଥିବା ନେଇ ମଧ୍ୟ ସେମାନେ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ସ୍ୱଦେଶୀ ଶପଥ ଗ୍ରହଣ ସହ ସ୍ୱଦେଶୀ ସାମଗ୍ରୀ ଓ ଉଦ୍ୟୋଗକୁ ଆପଣାଇବା ପାଇଁ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ଏବଂ MSME ବିଭାଗର ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇବା ।
ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସଞ୍ଜୟ କୁମାର ଠାକୁର, ତାଲିମ ଓ ନିଯୁକ୍ତି ଅଧିକାରୀ ବାବୁ କୁମାର ଦଳେଇଙ୍କ ସମେତ ବିପିନ ଗୌଡ଼, ବିଧୁଭୂଷଣ ଆଚାର୍ଯ୍ୟ, ସଞ୍ଜୟ କୁମାର ପରିଡ଼ା, ସୁଧୀର ସାହୁ, ପ୍ରଦୋଷ ମହାପାତ୍ର, ଆଶିଷ ନାୟକ, ଜାନୁରାମ ସୋରେନ, ଦୀପକ ସାମନ୍ତ, ଭୁବନେଶ୍ୱରୀ ନାୟକ, ସଂଯୁକ୍ତା ଡାକୁଆ, ବାଲାଜୀ ବେହେରା ଓ ଲଖଣ ମାଝୀଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ତାଲିମ ଓ ନିଯୁକ୍ତି ଅଧିକାରୀ ବାବୁ କୁମାର ଦଳେଇ ମଞ୍ଚ ପରିଚାଳନା କରିଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

