ପାରାଦୀପରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ଦ୍ୱାରା ନୂତନ ଭତ୍ତା କାର୍ଡ ବଣ୍ଟନ ।
sumanta swain | 13 Nov 2026 | 11 min read | 23 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ପୌରପାଳିକା ପ୍ରଶାସନିକ ଭବନ ପରିସରରେ ଶୁକ୍ରବାର ଆୟୋଜିତ ନୂତନ ଭତ୍ତା କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁ ପେନ୍ସନ୍ ଯୋଜନାରେ ପାରାଦୀପ ଅଞ୍ଚଳର ୪୦୦ ଜଣ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ଅପେକ୍ଷାର ଯୁଗ ଶେଷ ହୋଇଛି l ବୟୋଜ୍ୟୋଷ୍ଠ, ଅସହାୟ ତଥା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଅଧିକାରକୁ ସମ୍ମାନ ଜଣାଇବାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯେଉଁଥିରେ ପୂର୍ବ ସରକାରଙ୍କର ସମ୍ବେଦନହୀନ କୋଟା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିୟମିତ ଭତ୍ତା ପ୍ରଦାନ ସୁନିଶ୍ଚିତ କରାଯାଇଛି l ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ସରଳୀକରଣ କରିବା ଉଦ୍ଦେଶ୍ୟରେ 'ୟୁନିଫାଏଡ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ'(ୟୁପିଏମପି) କୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି l ଯାହା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ, ଜନସେବା କେନ୍ଦ୍ର କିମ୍ବା ବିଡିଓ କାର୍ଯ୍ୟାଳୟ ଜରିଆରେ ଅନଲାଇନ୍ ଆବେଦନ କରିପାରିବେ l ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ନିୟମିତ ଭତ୍ତା ମିଳିବ ଏବଂ ୮୦ ବର୍ଷ ବୟସ ପୂର୍ଣ୍ଣ କରୁଥିବା ହିତାଧିକାରୀଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ, ବରଂ ବ୍ୟବସ୍ଥା ଅନୁଯାୟୀ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ l ନୂତନ ହିତାଧିକାରୀମାନଙ୍କୁ ଅକ୍ଟୋବର ଏବଂ ନଭେମ୍ବର ମାସର ଭତ୍ତା ଏକକାଳୀନ ପ୍ରଦାନ କରାଯିବ l ଡିସେମ୍ବର ମାସ ଠାରୁ ପ୍ରତି ମାସର ୧୫ ତାରିଖରେ ହିତାଧିକାରୀଙ୍କୁ ନିୟମିତ ଭାବେ ଭତ୍ତା ରାଶି ପ୍ରଦାନ କରାଯିବ l ଏହା ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ସାଧାରଣ ଜନତାଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତା ଓ ପ୍ରତିବଦ୍ଧତାର ପ୍ରତିଫଳନ l ଏଥିପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l ତୃଣମୂଳ ସ୍ତରର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ତଥା ଅନ୍ତ୍ୟୋଦୟର ସଂକଳ୍ପକୁ ସାକାର କରିବା ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ l ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ଭତ୍ତା କାର୍ଡ ବଣ୍ଟନ କରିଥିଲେ lପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ପୌର ଯନ୍ତ୍ରୀ ଦିଲ୍ଲୀପ କୁମାର ସେଠୀ, ମନ୍ତ୍ରୀ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନ ଏବଂ ପୌର ଉପାଧ୍ୟକ୍ଷା ଙ୍କ ସମେତ ଅନ୍ୟାନ୍ୟ ପାରିଷଦ ମାନେ ଉପସ୍ଥିତ ଥିଲେ l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

